Unknown

 

 

 

 

 

 

 

 

 

ଘନଶ୍ୟାମ ଚଉତିଶା

ଭକ୍ତକବି ଦୀନକୃଷ୍ଣ ଦାସ

 

(ଗୋପାଙ୍ଗନାଙ୍କ ସହିତ କୃଷ୍ଣଙ୍କର ପ୍ରେମ ଅପାର, ଅପୂର୍ବ ଓ ଅଲୌକିକ । ପ୍ରାଣ ପ୍ରିୟ କୃଷ୍ଣଙ୍କୁ ଘଡ଼ିଏ ନ ଦେଖିଲେ ଗୋପୀମାନେ ଦୁଃଖରେ ଭାଙ୍ଗି ପଡ଼ନ୍ତି, ଦୁହିଁଙ୍କ ମଧ୍ୟରେ ପ୍ରେମଭାବ ପୁଣି ଶାଶ୍ୱତ ଓ ଉଦାର । ମଥୁରାକୁ ଯାଉଛନ୍ତି କୃଷ୍ଣ, ଏହା ଦେଖି କାତର ହୋଇପଡ଼ନ୍ତି ବ୍ରଜନାରୀ ଗଣ । ଆଖିରୁ ତାଙ୍କର ଧାର ଧାର ଲୁହ ଝରି ପଡ଼ିଛି । ସେମାନେ କୃଷ୍ଣଙ୍କ ଗୁଣକୁ ସୁମରି ସୁମରି କାନ୍ଦୁଛନ୍ତି । କୃଷ୍ଣ ଓ ଗୋପୀମାନଙ୍କର ଏହି ପ୍ରେମ-ଭକ୍ତିରସକୁ ଅନନ୍ୟ ରୂପ ପ୍ରଦାନ କରିଛନ୍ତି ଚଉତିଶାଟିରେ । କବିଙ୍କର ଏଇ ଅନବଦ୍ୟ ସୃଷ୍ଟିରେ ଭକ୍ତି, ପ୍ରେମ ଓ ପାଣ୍ଡିତ୍ୟର ଅପୂର୍ବ ସମୟ ଘଟିଛି । ଚଉତିଶାଟ ଓଡ଼ିଆ ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ।)

(ରାଗ – କାମୋଦୀ)

କୃଷ୍ଣ କଂସ ନବର ଯିବା ଦେଖି କାତର

ସକଳ ବରଜ ସୁନ୍ଦରୀ

କାକୁସ୍ତ ହୋଇ ଧୀରେ କର ନବେଶି ଶିରେ

କହନ୍ତି କୋମଳତା କରି ହେ

ଘନଶ୍ୟାମ !

କରୁଣା-କୃପଣ ହେଉଛ

କଂସ-ଭୁବନକୁ ଯାଉଛ

କଇତବ ନ କରି କହ ଧର୍ମ ବିଚାରି

ଆମ୍ଭଙ୍କୁ କାହାକୁ ଦେଉଛ ହେ ।୧।

 

ଖଳ ରାହୁବଦନେ ଅମୃତ ଦେଲା ପ୍ରାୟେ

କାମ ମୁଖେ ଆମ୍ଭଙ୍କୁ ଦେଇ

ଖଣ୍ଡି ସମସ୍ତ ସୁଖ ମଣ୍ଡନକରି ଦୁଃଖ

ସଜ ହୋଇଛ ଯିବା ପାଇଁ ହେ

ଘନଶ୍ୟାମ !

ଖାଇ ମରନ୍ତୁ ଅବା ବିଷ

ଖଣ୍ଡିତ ଅଛି ତାହା ଦୋଷ

ଖୁଆଇ ସୁଧାକର ଅମୂଲ୍ୟ ମନୋହର

ରଙ୍ଗିମା ଅଧରୁ ପୀୟୂଷ ହେ ।୨।

ଗଳା ମର୍କତ ମାଳି ଗଳାରେ ଥାଇ ଯେବେ

ସର୍ପ ପାଲଟି ପ୍ରାଣ ନେବ

ଗଣ୍ଠି ସୁବର୍ଣ୍ଣ ଯେବେ ଆରକୂଟ ହୋଇବ

ତେବେ କେ କାହାଗେ କହିବ ? ହେ

ଘନଶ୍ୟାମ !

ଗାଢ଼ ସଂକଟ-ମୁଖୁଁ ରଖି

ଗୋକୁଳ କରିଅଛି ସୁଖୀ

ଗୁରୁକର୍ଣ୍ଣ ହୋଇଲା ଯାଗ ପଶୁ ପରାୟେ

ଅନ୍ତର୍ଦ୍ଦଶା ହିଁ ଦେଇଅଛି ହେ ।୩।

 

ଘଡ଼ିଏ ନ ଦେଖିଲେ ଘନଶ୍ୟାମ ବଦନ

ଘର ହିଁ ହୋୟେ ବନପ୍ରାୟେ

ଘାରି ହୁଅଇ ଅଙ୍ଗ ଅନଙ୍ଗ ଭୁଜଙ୍ଗମ

ଘାଉଡ଼ ଲାଗିବା ପରା ହେ

ଘନଶ୍ୟାମ !

ଘେନଇ ନାହିଁ ମନେ ସୁଖ

ଘନ ଘନ ପଡ଼ଇ ଦୁଃଖ

ଘେନି ଗଲେ ତୁମ୍ଭଙ୍କୁ କଂସଦୂତ ଆମ୍ଭଙ୍କୁ

କଂସ ସୁତ କରିବ ପାକ ହେ ।୪।

 

ଭାବାର୍ଥ- (୧-୪) କୃଷ୍ଣ, ମଥୁରାପୁରକୁ ବିଜେ କରୁଥିବା ଦେଖି ଗୋପାଙ୍ଗନାମାନେ ଦୁଃଖରେ କାତର ହୋଇପଡ଼ିଲେ । କାକୁସ୍ଥ ହୋଇ ଧୀର ଭାବରେ ମୁଣ୍ଡରେ ହାତ ଦେଇ କହିଲେ- ହେ ଘନଶ୍ୟାମ, ମଥୁରାକଟକକୁ ଯାଉଛ, ଆମପ୍ରତି ଦୟା ନାହିଁ ? କଇତବ (କପଟ) ନ କରି ସତ କୁହ, ଆମ୍ଭଙ୍କୁ କାହା ହାତରେ ଟେକି ଦେଉଛ ? ଦୁଷ୍ଟ ରାହୁମୁଖରେ ଅମୃତ ଦେଲା ଭଳି କନ୍ଦର୍ପ ହାତରେ ଆମମାନଙ୍କୁ ଦେଉଛି । ଆମର ସୁଖକୁ ଖଣ୍ଡନ କରି ଦୁଃଖ ଭରି ଦେଇ ଚାଲିଯାଉଛି । ବିଷ ଖାଇ ଅବା ମରନ୍ତୁ । ରଙ୍ଗିନ ଓଷ୍ଠରୁ ଅମୃତ ଖୁଆଇ ଦେଇଛ । ଗଳାରେ ମର୍କତ ମାଳି ଥାଇ ଯଦି ସର୍ପ ପାଲଟି ପ୍ରାଣ ନେବ, ଗଣ୍ଡି ସୁନା ଯଦି ଆରକତ (ନାଲିଆ) ବର୍ଣ୍ଣ ହୋଇଯିବ, ତେବେ ସେ କାହାକୁ କହିବ ? ବଡ଼ ବଡ଼ ବିପତ୍ତିରୁ ଉଦ୍ଧାର କରି କୃଷ୍ଣ ଆମକୁ ସୁଖୀ କରିଛନ୍ତି । ହେ ଘନଶ୍ୟାମ, ଯାଗ ପଶୁ ପ୍ରାୟ ଆମେ ହୋଇଗଲୁ । ଅନ୍ତରରେ ଦୁଃଖ ପାଉଛୁ । କୃଷ୍ଣଙ୍କ ମୁଖକୁ ଘଡ଼ିଏ ନ ଦେଖିଲେ ଘରଟା ଆମକୁ ବଣ ପରି ଲାଗୁଛି । ସାପର ଦଂଶନ ଦେହରେ ଲାଗିଲେ ଯେମିତି ହୁଏ, ସେମିତି ଆମ ଦେହ ଜ୍ଜାଳାରେ ଘାରି ହେଉଛି । ହେ ଘନଶ୍ୟାମ, ମନ ଭଲ ଲାଗୁନାହିଁ, ଅନ୍ତରଟା ଦୁଃଖରେ ଭାଙ୍ଗିପଡ଼ୁଛି । ତୁମେ ଚାଲିଗଲେ କଂସଦୂତମାନେ ଆମକୁ ହଇରାଣ କରିବେ ।

 

ନିଶ୍ଚେ ଜାଣିଲୁ ଆମ୍ଭେ ରସାଳ ପ୍ରାୟେ ତୁମ୍ଭେ

ଜଗତ ଜନମନ ତୋଷ

ନାନାରୂପେ ମଧୁର ନୟନ-ପ୍ରିୟକର

ହୃଦୟ ଅତ୍ୟନ୍ତ କର୍କଶ

ଘନଶ୍ୟାମ !

ନାହିଁ ତୁମ୍ଭର ଦୟା ଲେଶେ

ନାଶୁଛ ଆମ୍ଭଙ୍କୁ କି ଦୋଷେ

ନୋହୁଁ ଆମେ ପୂତନା ପ୍ରାୟେ କୁଟିଳମନା

ସ୍ତନ ହିଁ ମଣ୍ଡି ନାହୁଁ ବିଷେ ହେ ।୫।

ଚନ୍ଦ୍ରେ ଚକୋର ନବ ଘନେ ଚାତକ ପ୍ରାୟେ

ତୁମ୍ଭ ବିନୁ ନ ଜାଣୁ କିଛି

ଚିତ୍ତେ ଚିତ୍ତୋଇ ସବୁ ପ୍ରକାରେ ବିଚାରିଲେ

ଏହି ଦୋଷଟି ମାତ୍ର ଅଛି ହେ

ଘନଶ୍ୟାମ !

ଚଣ୍ଡାଳ ଦଇବ କଷଣ

ଚଉଦ ଲୋକର ଭୂଷଣ

ଚିନ୍ତାମଣିକି ଦେଇ ଚିନ୍ତାମନେ ହେଉଛି

ଏ କେଉଁ ଅବିବେକ ପଣ ହେ ।୬।

କ୍ଷଣ କ୍ଷଣକ କଥା ପ୍ରସଙ୍ଗ ପ୍ରାୟେ ବ୍ୟଥା

ହୋଇଲା ଆମ୍ଭର ଅଥୟେ

କ୍ଷୋଭ ସାଗରେ ମନ ପଡ଼ିଲେ ଚଇତନ

ମରିବାକୁ କରୁଛୁ ଭୟେ ହେ

ଘନଶ୍ୟାମ !

ଛୁରୀ ମାରିଲା ପ୍ରାୟେ ଦେହ

କ୍ଷଣ କ୍ଷଣକେ ହୋୟେ ମୋହ

ଛାୟା-ପତି ହିଁ ଥାଉ ଅନ୍ଧାର ହେଉଅଛି

ଏ କେଉଁ ବିପରୀତ କହ ହେ ।୭।

ଯେଉଁ ଶ୍ୟାମ-ରତନ କରି ଅତି ଯତନ

ରଖିଲୁ ହୃଦ ସମ୍ପୁଟକେ

ଜାଣୁ ଜାଣୁ ଅକ୍ରୂର ନାମକୁ ବହି କ୍ରୂର

ପ୍ରାୟେଣ ଦେଉଛି ଛଟକେ ହେ

ନବଘନ !

ଯହିଁ ନୃପତି ଅବିବେକ

ଜାଣିଲୁଁ ସେ ନଗର ଲୋକ

ଜୀବନ ଧନ ଦୁଇ ଥିଲେ ହେଁ ସୁଖ ନାହିଁ

ମହାଭୟରେ ଦକଦକ ହେ ।୮।

 

ଭାବାର୍ଥ- (୫-୮) ହେ ଘନଶ୍ୟାମ, ଆମେ ଏବେ ନିଶ୍ଚିତ ଭାବେ ଜାଣିଲୁ ଯେ ତୁମ ରସାଳ (ଆମ୍ୱ) ପ୍ରାୟ ଜଗତ ଜନମନକୁ ତୋଷ କରୁଛି । ନାନାରୂପରେ ଆନ୍ୟକୁ ମଙ୍ଗଳ ପ୍ରଦାନ କରୁଛି; କିନ୍ତୁ ତୁମର ହୃଦୟ ଟାକୁଆ ପରି କର୍କଶ, ଲେଶେ ମାତ୍ର ଦୟା ନାହିଁ, ଆମ୍ଭମାନଙ୍କୁ କେଉଁ ଦୋଷ ଯୋଗୁଁ ନାଶ କରୁଛ ? ଆମ୍ଭେ ପୂତନା ପରି କୁଟିଳମନା ନୋହୁଁ କିମ୍ବା ବକ୍ଷୋଜରେ ବିଷ ଭରିନାହୁଁ । ଚନ୍ଦ୍ରକିରଣ ଓ ନବମେଘକୁ ଚକୋରଚକୋରୀ ଚାହିଁ ରହିଲା ଭଳି ତୁମକୁ ଆମେ ଚାହିଁ ରହିଛୁ, ତୁମ ବିନା ଅନ୍ୟ କିଛି ଜାଣୁନାହୁଁ । ହେ ଘନଶ୍ୟାମ, ମନ ମଧ୍ୟରେ ବିଚାରିଲେ, ଏ ଦୋଷଟି ଅଛି ଯେ, ଚଣ୍ଡାଳ ଦଇବର କଷଣ ଆମେ ଭୋଗୁଛୁ । ତୁମର ଏ କେଉଁ ବିବେକ ପଣ ? ହେ ଘନଶ୍ୟାମ, କ୍ଷଣକ୍ଷଣର କଥା ପ୍ରସଙ୍ଗ ଆମ ମନକୁ ଅଥୟ କରୁଛି, କ୍ଷୋଭର ସାଗରରେ ମନ ଅଥୟ ହେଉଛି । ମରିବାକୁ ଭୟ ହେଉଛି । ଦେହରେ ଛୁରି ମାରିଲା ପରି ଲାଗୁଛି । କ୍ଷଣ କ୍ଷଣକରେ ମୋହ ଯାଉଛୁ । ଚନ୍ଦ୍ର ଥାଉ ଥାଉ ଅନ୍ଧାର ଅନ୍ଧାର ଲାଗୁଛି । ଏ କେମିତି ବିପରୀତ କଥା ହେଲା ?

 

ହେ ଶ୍ୟାମଘନ, ଯେଉଁ ଶ୍ୟାମ ରୂପକ ରତ୍ନକୁ ଅତି ଯତ୍ନର ସହିତ ହୃଦୟ ଫରୁଆ (ସମ୍ପୁଟକ) ମଧ୍ୟରେ ରଖିଲୁ, ଜାଣୁ ଜାଣୁ ଅକ୍ରୂର କ୍ରୂର ଭାବରେ ଛଟକରି ତାଙ୍କୁ ନେଇଯାଉଛି । ସେଇ ମଥୁରା ନଗର ରାଜା ଯେଉଁଠି ଅବିବେକ, ନଗରର ଲୋକମଧ୍ୟ ସେମିତି ଅବିବେକ । ଆମ ପାଖରେ ଜୀବନ ଓ ଧନ ଦୁଇଟାଯାକ ରହିଛି ସତ; କିନ୍ତୁ ମନରେ ସୁଖ ନାହିଁ । ମହାଭୟରେ ସର୍ବଦା ହଦୟ ଦକଦକ ହେଉଛି ।

 

ଝାଡ଼େ ମଧୁମକ୍ଷିକା ମଧୁ ସଞ୍ଚିଲା ପ୍ରାୟେ

ଯତନେ ତୁମ୍ଭଙ୍କୁ ସଞ୍ଚିଲୁ

ଝିମିଣ୍ଟ ହେଁ ନ ଛାଡ଼ି ମଧୁର ରସେ ବୁଡ଼ି

ରଜନୀ ଦିନ ବଞ୍ଚିଥିଲୁ ହେ

ନବଘନ !

ଝାଡ଼ା-ବାସୀ ପରାୟେ ଆସି

ଝାମ୍ପି ଅକ୍ରୂର ଅଛି ବସି

ଝଟତି ଘେନିଯିବ ଆମ୍ଭ ଭାଗରେ ହେବ

ଝସକେତୁ ଅନଳରାଶି ହେ ।୯।

ନାନା ଶ୍ରମେ କୃଷକ କୃଷି କରି ଅନେକ

ପ୍ରକାରେ କରିଥାଇ ଆଶ

ନୃପତି ଲୋକ ଆସି ଫଳ ମୁଖରେ ବସି

ସବୁ ଆଶ କରଇ ନାଶ ହେ

ଘନଶ୍ୟାମ !

ନିରେଖ ବରଜ ଯୁବତୀ

ନିଶ୍ଚେ ହୋଇଲୁ ସେହିମତି

ଆଶା କରେ ଯେ ଯାହା ନାଶକରେ ଯେ ତାହା

ଯାଏ ତା ସକଳ ସଂପତ୍ତି ହେ ।୧୦।

ଟିକିଏ ନ ଦେଖିଲେ ଟାଣ କୁସୁମ ଶରେ

ଶରୀରେ ପାଉଥାଉଁ ବ୍ୟଥା

ଟେକ ଯାଚକ ଆଗେ କୃପଣ ଲୋଭୀ ପ୍ରାୟେ

ମଥା ନ ଟେକି କହ କଥା ହେ

ଘନଶ୍ୟାମ !

ଟଳି ସେନେହ ଗଲା ନାହିଁ

ଟିକାୟେ ଏବେ ଦୟା ନାହିଁ

ଟେକ କରୁଣା ବୃକ୍ଷେ ନିରାଶ ଫଳାଇଲା।

ବିଧାତା ବଡ଼ପଣ ଏହି ହେ ।୧୧।

ଠାବ ନ କରିଥିଲୁ ଏବେ ସେ ଠାବ କଲୁ

ଠାକୁର ମାନଙ୍କର ରୀତି

ଠାଠିକ ମାନେ ଯେତେ ଯେତେ କହନ୍ତି ତୋତେ

ରକ୍ଷା ତ ନ କରନ୍ତି ନୀତି ହେ

ଘନଶ୍ୟାମ !

ଠାଠିକ ଭାଗ୍ୟ ଆମ୍ଭ ଯେତେ

ଠିକ ଅଭାଗ୍ୟ ପୁଣି ତେତେ

ଠୁଳ ନିଧିଙ୍କି ଦେଇ ଘେନି ଯାଉଛି ବିହି

ଆଉ କହିବୁ ଅବା କେତେ ହେ ।୧୨।

 

ଭାବାର୍ଥ- (୯-୧୨) ହେ ଘନଶ୍ୟାମ, ବନ ମଧ୍ୟରେ ମହୁମାଛି ମହୁ ସଞ୍ଚୟ କଲା ପରି ଯତ୍ନର ସହିତ ତୁମ୍ଭଙ୍କୁ ସଞ୍ଚଲୁ । କ୍ଷଣେମାତ୍ର ନ ଛାଡ଼ି ମଧୁର ରସରେ ବୁଡ଼ିଗଲୁ । ଦିନରାତି ଆମର ସୁଖରେ କଟୁଥିଲା । ବନବାସୀ ପ୍ରାୟ ଅକ୍ରୂର ତାଙ୍କୁ ଝାମ୍ପି ନେବାକୁ ବସିଛି । ତାଙ୍କୁ ସେ ଝଟକରେ ନେଇଯିବ । ଆମ ଭାଗ୍ୟକୁ କନ୍ଦର୍ପର କାମାନଳ ହିଁ ରହିଯିବ । ହେ ଶ୍ୟାମଘନ, କୃଷକ ନାନା ଭାବରେ ପରିଶ୍ରମ କରି କୃଷି କାର୍ଯ୍ୟ କରିଥାଏ । ଅନେକ ଫସଲ ଅମଳ ଆଶା କରିଥାଏ; କିନ୍ତୁ ଫସଲ ଆଦାୟ ବେଳକୁ ରାଜାଙ୍କ ଲୋକମାନେ ଆସି ସେ ସବୁକୁ ନେଇଯା’ନ୍ତି । କୃଷକର ସବୁ ଆଶା ଭାଙ୍ଗିଯାଏ । ସେମିତି ଆମେ ସବୁ ବ୍ରଜଯୁବତୀଗଣ ନିରକ୍ଷ ହୋଇଗଲୁ । ଯିଏ ଯାହା ଆଶା କରେ ତାକୁ କେହି ନାଶ କଲେ, ତା’ର ସକଳ ସମ୍ପରି ଚାଲିଯାଏ ।

 

ହେ ଶ୍ୟାମଘନ, କୃଷ୍ଣଙ୍କୁ ଟିକିଏ ନ ଦେଖିଲେ ଫୁଲଶରର ତୀକ୍ଷ୍‍ଣତା ଦେହକୁ ବ୍ୟଥା ଦେଉଛି । ଯାଚକର ଆଗରେ ଲୋଭୀକୃପଣ ମଥାକୁ ନ ଟେକି କଥା କହିଲା ପରି, ସ୍ନେହ ତାଙ୍କର କୁଆଡ଼େ ଗଲା ? ଟିକିଏ ମଧ୍ୟ ଏବେ ତାଙ୍କର ଦୟା ନାହିଁ । ଦୟାର ବୃକ୍ଷରେ ନିରାଶ ଫଳ ଫଳାଇ ବିଧାତା କି ବଡ଼ ପଣ କଲା ? ବଡ଼ ଲୋକଙ୍କ ରୀତିକୁ ଜାଣି ପାରି ନ ଥିଲୁ ଏବେ ଜାଣିଲୁ । ସେମାନେ ଯେତେ ବଡ଼ କଥା କହନ୍ତି, ସେମିତି ନୁହଁନ୍ତି । ସେମାନେ ନିଜ ନୀତିକୁ ରକ୍ଷା କରିପାରନ୍ତି ନାହିଁ । ହେ ଘନଶ୍ୟାମ, ତାଙ୍କୁ ପାଇ ଆମେ ଯେତିକି ଭାଗ୍ୟବାନ, ତାଙ୍କ ବିଚ୍ଛେଦ ପାଇଁ ସେତିକି ଭାଗ୍ୟହୀନ । କୃଷ୍ଣଙ୍କୁ ବିଧାତା ମଥୁରାପୁରକୁ ନେଇଯାଉଛି, ଆଉ କାହାକୁ କେତେ କହିବୁ ?

 

ଡୋଳେ ଦେଖି ଶ୍ରବଣେ ଶୁଣିବା ଯେହୁ ସୁଖ

କାଳେ ହୁଅଇ ଦୁଃଖକର

ଡାକି କହୁଛ ତୁମ୍ଭ ଦର୍ଶନ ବଂଶୀ ଧୁନି

ଘେନି ଆମ୍ଭର ଏତେ ଦୂର ହେ

ଘନଶ୍ୟାମ !

ଡକାଇତର ତୁମ୍ଭ ଗୁରୁ

ଡକା କରୁଛି କଂସ ଦୂରୁ

ଡକାଇତରେ ପଡ଼ି ଗଲେ ଡକା କି ନୋହେ

ଡକାଇତରେ ଆଡ଼ କରୁ ହେ ।୧୩।

ଢାଳେ ତୁମ୍ଭ ମୂରତି ମଧୂର ବଂଶୀଗୀତି

ଦେଖି ଯା ଶ୍ରବଣେ ଶୁଣିଲୁ

ଢମ ନୋହେ ହରିଣୀ ପ୍ରାୟେ ଗୋପ-ତରୁଣୀ

ମଦନ-ଟୋପରେ ପଡ଼ିଲୁ ହେ

ଘନଶ୍ୟାମ !

ଢଳି ନଯାଇ ଥିଲା ଜୀବ

ଢାଳେ ସେ କଥା ୟେବେ ହେବ

ଢଳିଲାଣି କମଳ ଦଳଗତ କମଳ

ପରାୟେ ଏବେ ତୁମ୍ଭ ଭାବ ହେ ।୧୪।

ଆହେ ଶ୍ୟାମ ସୁନ୍ଦର ବୃନ୍ଦାବନର ଚନ୍ଦ୍ର

ଆରତ ଜନ ପରିତ୍ରାଣ

ଅନାଥ ଗୋପୀନାଥ କରି ତୁମ୍ଭଙ୍କୁ ପାଇ

ୟେବେ ହୋଇଛୁ ଅକାରଣ ହେ

ଘନଶ୍ୟାମ !

ଆଉ କି କହିବୁ ବିଚାର

ୟେମୟ ଅଭାଗ୍ୟ ଆମ୍ଭର

ଅଙ୍ଗ ବସନ ଆଶୀ- ବିଷ ହୋଇଲା ଯେବେ

ତହିଁକି ମନ୍ତ୍ର ଉପଚାର ହେ ।୧୫।

ତୁମ୍ଭ ପ୍ରଭୁପଣକୁ ତୁମ୍ଭେ ହେଁ ପଟାନ୍ତର

ତୁମ୍ଭର ଅବା କଉଁ ଦୋଷ

ତଥାପି ହିଁ ପଡ଼ଇ କର୍ପୁର ଲେମ୍ବୁ ଯୋଗୁ

ପ୍ରତ୍ୟକ୍ଷେ ହେଉଅଛ ବିଷ ହେ

ଘନଶ୍ୟାମ !

ତୁମ୍ଭେ ତ ଜାଣ ସବୁ ରୀତି

ତହିଁକି ଆମ୍ଭର ଯୁଗତି

ତୁମ୍ଭର ଆମ୍ଭ ପୀରତି କ୍ଷୀରନୀରକୁ ପ୍ରୀତି

ଅକ୍ରୂର ଦୃଶ ହଂସ ମୂର୍ତ୍ତି ହେ ।୧୬।

 

ଭାବାର୍ଥ- (୧୩-୧୬) ହେ ଘନଶ୍ୟାମ, ଆଖିରେ ଦେଖି କାନରେ ଶୁଣିବାରେ ଯେଉଁ ସୁଖ ମିଳିଥାଏ, ବେଳେ ବେଳେ ତାହା ଦୁଃଖକର ହୋଇଥାଏ । କୃଷ୍ଣଙ୍କ ଦର୍ଶନ ଓ ବଂଶୀସ୍ଵନ ଏବେ ଏତେ ଦୂରରେ । ହେ କୃଷ୍ଣ, ତୁମେ ଡକାୟତଙ୍କ ଗୁରୁ । କଂସ ସେଠାରୁ ଡକାଇଛି । ଡକାୟତିରେ ପଡ଼ି ଗଲେ ଡକା କି ନୁହଁଇ-? ତୁମ୍ଭ ମୂର୍ତ୍ତି ହେଖିଲୁ ଓ ମଧୁର ବଂଶୀଗୀତି ଶୁଣିଲୁ । ହରିଣୀ ବ୍ୟାଧର ଜାଲରେ ପଡ଼ିଲା ଭଳି ଆମେ ଗୋପ ତରୁଣୀଗଣ କନ୍ଦର୍ପର ଗାତରେ ପଡ଼ିଗଲୁ । ଜୀବଚାଲିଯାଇ ନ ଥିଲା, ଏବେ ସେ କଥା ହେବ । ତୁମ୍ଭ ଭାବ ପଦ୍ମଦଳ ପରି । ହେ ଶ୍ୟାମ ସୁନ୍ଦର, ବୃନ୍ଦାବନଚନ୍ଦ୍ର, ଆରତଜନ ପରିତ୍ରାଣ, ଅନାଥର ନାଥ । ଗୋପୀନାଥ ଭାବେ ତୁମ୍ଭଙ୍କୁ ପାଇଛୁ । ଏବେ କିନ୍ତୁ ତାହା ଅକାରଣ ହୋଇଯାଇଛି-। ଆଉ ଅଧିକ କ’ଣ କହିବୁ ? ଏମିତି ତ ଆମର ଦୁର୍ଭାଗ୍ୟ । ଦେହରେ ପିନ୍ଧିଥିବା ଲୁଗା ଯେବେ ସର୍ପ ହେବ, ସେଥିପାଇଁ କି ମନ୍ତ୍ର ଉପଚାର ଅଛି ? ତୁମ୍ଭର ପ୍ରଭୁପଣକୁ ତୁମେ ହିଁ ପଟାନ୍ତର । ତୁମ୍ଭର ଅବା କେଉଁ ଦୋଷ । ତଥାପି କର୍ପୂରରେ ଲେମ୍ବୁ ପଡ଼ିଥିବା ଯୋଗୁଁ ପ୍ରତ୍ୟକ୍ଷରେ ବିଷ ହୋଇଯାଇଛି-। ହେ ଘନଶ୍ୟାମ, ତୁମ୍ଭେ ତ ସବୁ ରୀତି ଜାଣ । ତୁମ ଓ ଆମ ମଧ୍ୟରେ ଯେଉଁ ପ୍ରୀତି ଭାବ ଅଛି, ତାହା କ୍ଷୀର-ନୀରର ସଂପର୍କ । ଅକ୍ରୂର ହେଉଛନ୍ତି ହଂସ ସ୍ଵରୂପ ।

 

ସ୍ଥାପନ କରି ବିବୃକ୍ଷ ନକରି ନାଶ

ଯେମନ୍ତେ ବୋଲନ୍ତି ସଂସାରେ

ଥୋଇଛ ଯେତେ ରୂପେ ଯଶ ତୁମ୍ଭେ ୟେ ଗୋପେ

ଚନ୍ଦ୍ରମା ଯେମନ୍ତେ ନିଶାରେ ହେ

ଘନଶ୍ୟାମ !

ଥିଲେ କି ହେବ ପ୍ରଭୁପଣ

ଥାଇ ଯେବେ ସମସ୍ତ ଗୁଣ

ସ୍ଥିର ବିବେକ କ୍ଷମା ଦୟା ଧର୍ମ ଗରିମା

ଦାନ ଏ ଉତ୍ତମ ଲକ୍ଷଣ ହେ ।୧୭।

ଦେଖ ଯଉଁ ସଭାରେ ଭଲ ଲୋକେ ବେଭାରେ

ନାମ ଅକ୍ରୂର ଖଳ ବୁଦ୍ଧି

ଦୁଃଖ ଦେଲେ କେବଳ ନାମ ହେବ ମଙ୍ଗଳ

ଗ୍ରହ ନାମ ତ ପରସିଦ୍ଧି ହେ

ଘନଶ୍ୟାମ !

ଦୁଷ୍ଟକୁ କିପାଁ ଏଥି ବାଛ

ଦୂରୁ ସେ ନାମରୁ ପ୍ରତ୍ୟକ୍ଷ

ଦେଖିବାକୁ ସ୍ଥିର ସେ ଚନ୍ଦ୍ର ସୂର୍ଯ୍ୟ ପରାୟେ

ଗତାଗତରେ ତାକୁ ଲକ୍ଷ୍ୟ ହେ ।୧୮।

ଧରି ତୁମ୍ଭ ଚରଣ କହୁଛି ଆହେ ପ୍ରାଣ

ବନ୍ଧୁ ଆମ୍ଭ ବଚନ ଶୁଣ

ଧନୁ ଯାତ୍ରା କପଟେ ଧରାଇ ନେଉଅଛି

ଧ୍ରୁବ କରିୟେ କଥା ଜାଣ ହେ

ଘନଶ୍ୟାମ !

ଧାତା ସହିଲେ ସବୁପଣ

ଧାର୍ମିକ ବିବେକ ଲକ୍ଷଣ

ଧର୍ମ ହିଁ କର୍ମ ଅନୁ- ରୂପେ ହୋୟେ ପ୍ରସନ୍ନ

ଧଇର୍ଯ୍ୟନିଧି ତୁମ୍ଭେ ଜାଣ ହେ ।୧୯।

 

ନିଶ୍ଚେ ଦଇବ ପ୍ରତି କୂଳ ହୋଇଲେ ମତି

ଅନୀତି ହୋଇଲେ ପ୍ରମାଣ

ନନ୍ଦ ଯଶୋଦା ଲେଶେ ନ ଛାଡ଼ନ୍ତି ଏବେ ସେ

ହୃଦକୁ କଲେ ତ ପାଷାଣ ହେ

ଘନଶ୍ୟାମ !

ନିଆଁରେ ଘୃତ ଦେଲା ପ୍ରାୟେ

ନିରନ୍ତରେ ଜଳୁଛି କାୟେ

ନିଶ୍ଚୟେ ଇଚ୍ଛା-ପ୍ରାଣ ହୋଇଥିଲେ ପ୍ରମାଣ

ନଥାନ୍ତା ଏତେବେଳେ ଯା ହେ ।୨୦।

ପୂତନା ଅଗା ବକା କେଶୀ ଆଦି ଧେନୁକା

ଷଣ୍ଢା ଶକଟା ତୃଣାସୁର

ପ୍ରାଣେ ଏହାଙ୍କୁ ମାରି ପ୍ରାଣକୁ ରକ୍ଷାକରି

ଆମ୍ଭଙ୍କୁ କର ପ୍ରତିକାର ହେ

ଘନଶ୍ୟାମ !

ପ୍ରବଳ ଦାବାନଳ-ପୋଡ଼ି

ପ୍ରତାପୀ ପୁରନ୍ଦର ଧାଡ଼ି

ପ୍ରତେ ହେଉଛି ଏବେ ସମସ୍ତେ ଏକ ହୋଇ

ବାହୁଡ଼ି ଆସୁଛନ୍ତି ମାଡ଼ି ହେ ।୨୧।

 

ଭାବାର୍ଥ- (୧୭-୨୧) ହେ ଶ୍ୟାମଘନ, ବିଷବୃକ୍ଷ ଲଗାଇ ତାକୁ ନାଶ ନ କଲେ, ସଂସାରରେ ଲୋକେ ତାକୁ ଖରାପ କହନ୍ତି । ଗୋପପୁରରେ ଯେତେ ରୂପରେ ତମେ ଯଶ ସ୍ଥାପନ କରିଛ, ତାହା ଅନ୍ଧକାରରେ ଚନ୍ଦ୍ରମା ପରି ହୋଇଛି । ସ୍ଥିରବିବେକ, କ୍ଷମା, ଦୟା, ଧର୍ମ, ଗରିମା ଦାନ- ଏ ସବୁ ଉତ୍ତମ ଲକ୍ଷଣ ଥିଲେ ପ୍ରଭୁପଣ ପାଇ ଯୋଗ୍ୟ ହେବ । ହେ ଶ୍ୟାମଘନ, ଯେଉଁ ସଭାରେ ଭଲ ଲୋକ ରହିଥାଏ, ତାହା ଉପଯୁକ୍ତ ସଭା । ଅକ୍ରୂର ପରି ଖଳ ଲୋକ ଆମକୁ ଦୁଃଖ ଦେଉଛନ୍ତି । ଦୁଷ୍ଟକୁ କାହିଁକି ଏଇଠି ବାଛୁଛ । ଦୂରରୁ ସେ ନାମ ପ୍ରତ୍ୟକ୍ଷ ଭାବେ ପ୍ରକାଶ ପାଉଛି । ଚନ୍ଦ୍ର ସୂର୍ଯ୍ୟ ପ୍ରାୟ ଦେଖିବାକୁ ସେ ସ୍ଥିର । ଗତାଗତରେ ତାକୁ ଲକ୍ଷ୍ୟ କରିବାର କଥା । ହେ ଶ୍ୟାମଘନ, ତୁମ୍ଭ ପାଦଧରି କହୁଛି, ହେ ପ୍ରାଣବନ୍ଧୁ, ମୋ କଥା ଶୁଣ, ଏହା ଧ୍ରୁବ ସତ୍ୟ ଯେ, ଧନୁଯାତ୍ରା ଆଳରେ କପଟରେ କଂସ ତାଙ୍କୁ ଧରାଇ ନେଉଛି । ଧାର୍ମିକ, ବିବେକ ଲକ୍ଷଣବନ୍ତ ଲୋକମାନେ ଉପଯୁକ୍ତ ଫଳ ପାଆନ୍ତି । କର୍ମ ଅନୁସାରେ ଧର୍ମ ପ୍ରସନ୍ନ ହୋଇଥାଏ । ଏହା ନିଶ୍ଚିତ ଯେ, ଦଇବ ପ୍ରତିକୂଳ ହେଲେ ଅନୀତି ପ୍ରକାଶ ପାଏ । ନନ୍ଦଯଶୋଦା ଲେଶେ ମାତ୍ର କୃଷ୍ଣଙ୍କୁ କେବେ ଛାଡ଼ନ୍ତି ନାହିଁ । ଏବେ ହୃଦୟକୁ ପାଷାଣ କରିଛନ୍ତି । ନିଆଁରେ ଘିଅ ପକାଇ ତାକୁ ଯେମିତି ପ୍ରଜ୍ଜ୍ୱଳିତ କରାଯାଇଥାଏ, ଯେମିତି ମୋ ଶରୀର ନିରନ୍ତର କାମାନଳରେ ଜଳୁଛି । ପ୍ରାଣ ହୋଇଥିଲେ ଏତେବେଳେ ଯାଏଁ ତାହା ନ ଥା’ନ୍ତା । ହେ ଘନଶ୍ୟାମ, ପୂତନା, ଅଗା, ବକା, ଶକଟା ପ୍ରଭୃତିଙ୍କୁ ବଧ କରି ଆମକୁ ରକ୍ଷା କରିଛ । ହେ ଘନଶ୍ୟାମ, ଏବେ ମନରେ ଆସୁଛି, ପ୍ରବଳ ଦାବାନଳକୁ ପୋଡ଼ି ଇନ୍ଦ୍ର ସମେତ ସମସ୍ତେ ମାଡ଼ି ଆସୁଛନ୍ତି ।

 

ଫୁଲ୍ଲାରବିନ୍ଦ ମୁଖ ଦେଖୁଥିବାର ସୁଖ

ଦୁଃଖ କେ କରିବାକୁ ନାହିଁ

ଫୁଲ ଧନୁରେ ଫୁଲ ଶର ବସାଇ ଫୁଲ

ଧନୁ କି ଅଛି ବାଟ ଚାହିଁ ହେ

ଘନଶ୍ୟାମ !

ଫୁରି ହେଉଛି ମନେ ଯାହା

ଫେଡ଼ି କହିବୁ କେତେ ତାହା

ଫାଇ କାଳେ ତୁମ୍ଭଙ୍କୁ ଆଶ୍ରେ କରିବୁ ବୋଲି

ଦେଉଥିଲୁ ଅତି ଉତ୍ସାହ ହେ ।୨୨।

ବୃନ୍ଦାବନରେ ଥିଲେ ବିକଳ ହୋଇଥାଉଁ

ଯୁଗ ସମାନ ମଣୁ ଦିନ

ବିଧାତା ବିଚାର ହିଁ କି ବୁଝି ଅଛି ତାହା

କରିବାକୁ ବସିଛି ଭିନ୍ନ ହେ

ଘନଶ୍ୟାମ !

ବିହିକି ବୋଲିବା ବିଅର୍ଥ

ବିଚାର ତୁମ୍ଭେ ସବୁ ଅର୍ଥ

ବତ୍ସା ବାଳକ ହରି ନେବା କାଳରେ ତାହା

ସଙ୍ଗେ କି ନକଲ ଅନର୍ଥ ହେ ।୨୩।

ଭ୍ରମର ଫୁଲେ ବସି ବିହରୁ ଥିଲେ ହସି

କରୁ ଯେ ଥାଉ ଉପହାସ

ଭଲା ଭଲା ପୀରତି ଦଣ୍ଡକେ ଆନ ରୀତି

ଭଲ ଆଚାର ପୀତବାସ ହେ

ଘନଶ୍ୟାମ !

ଭାଗିଲା ସେ ଗରବ ଏବେ

ଭଗାରି ପ୍ରାୟେ ସେ ହସିବେ

ଭାବଗ୍ରାହୀ ହୋଇ ସେ ଅଭାବେ ବଢ଼ୁଅଛି

ଆଗତେ କି ବୋଲି ବୋଲିବେ ହେ ।୨୪।

ମହା ଆହାର ଲୋଭେ ମହତ୍ ହସ୍ତୀମାନେ

ମହତ ଟୋପରେ ପଡ଼ନ୍ତି

ମହାତୃଷା ଆରତେ ମୃଗମାନେ ହେଁ ମୃଗ

ତୃଷ୍ଣାରେ ଜୀବନ ଛାଡ଼ନ୍ତି ହେ

ଶ୍ୟାମଘନ !

ମହାପଣ୍ଡିତ ଗୁଣ ଥିଲେ

ମାୟାରେ ଭ୍ରମ ହୋଇଥିଲେ

ମହା ଆଶାରେ ମହା ଦୁଃଖ ଭୋଗ କରନ୍ତି

ମହାମୂର୍ଖ କୃପଣ ବୋଲେ ହେ ।୨୫।

ଜନ୍ମ କାଳରୁ ଯେତେ ଯେତେ ଦୁଷ୍ଟ ଗୁପତେ

ଅଇଲେ ତାହାଙ୍କୁ ମାଇଲେ

ଜଗତ ଯନ୍ତ୍ରକାର ହୋଇ ଏବେ ଅକ୍ରୂର

କର ଯନ୍ତ୍ର ପ୍ରତିମା ହେଲେ ହେ

ଘନଶ୍ୟାମ !

ଯେମନ୍ତ ସୂତ୍ରଧର ବୋଲେ

ଯବନିକା ଅନ୍ତରେ ଥିଲେ

ଯବନୀରୁ ବାହାର ହୁଅଇ ନଟବର

ସେ ରୂପେ ତୁମ୍ଭଙ୍କୁ ୟେ କଲେ ହେ ।୨୬।

 

ଭାବାର୍ଥ- (୨୨-୨୬) ହେ ଘନଶ୍ୟାମ, ପଦ୍ମମୁଖ କୃଷ୍ଣଙ୍କ ମୁଖ ଦେଖିଲେ ଯେଉଁ ସୁଖ ମିଳେ ସେଥିରେ ସବୁ ଦୁଃଖ ଦୂର ହୋଇଥାଏ । ଫୁଲ ଧନୁରେ ଫୁଲ ଶର ଯୋଖି ମାରିବା ପାଇଁ କନ୍ଦର୍ପ ଯେମିତି ବାଟ ଚାହିଁ ବସିଛି । ମନ ଭିତରେ ଯାହା ସ୍ଫୁରଣ ହେଉଛି, ତାକୁ ଫେଡ଼ିକରି କେତେ କହିବୁ ? ଦରକାର ସମୟରେ ତୁମ୍ଭଙ୍କୁ ଆଶ୍ରା କରିବୁ ବୋଲି ଅତି ଉତ୍ସାହ ହେଉଥିଲୁ । ହେ ଘନଶ୍ୟାମ, ବୃନ୍ଦାବନରେ ଥିବା ସମୟରେ ବିକଳ ହେଉଥିଲୁ, ଦିନକୁ ଯୁଗ ସମାନ ମନେ କରୁଥିଲୁ-। ବିଧାତା ବିଚାର ହିଁ ଶ୍ରେଷ୍ଠ । ବିଧାତାକୁ ଆମେ ଖରାପ କହିବା; କିନ୍ତୁ ବିଚାରରେ ତୁମ୍ଭେ ହି ମୂଳ । ବିଧାତା ବତ୍ସା ହରିନେବା କାଳରେ, ତାଙ୍କ ସଙ୍ଗରେ କି ଅନର୍ଥ ତୁମେ ନ କରିଛ ? ହେ ଘନଶ୍ୟାମ, ଫୁଲରେ ବସି ଭ୍ରମର ବିହାର କରୁଥିବାବେଳେ, ଉପହାସ କରିଥାଉ । ଘଡ଼ିକୁ ଘଡ଼ି ପ୍ରୀତିର ରୀତି ବଦଳି ଯାଉଛି । ହେ ପୀତବାସ, ତୁମେ ଭଲ ଆଚରଣ କରୁଛ ? ଆମର ଗର୍ବ ଏବେ ଭାଙ୍ଗିଗଲା । ଭଗାରିଙ୍କ ପ୍ରାୟ ସେ ହସିବେ । ସେ ଭାବଗ୍ରାହୀ, ଆମର ଦିନଗୁଡ଼ିକ ଅଭାବରେ କଟୁଛି । ଭବିଷ୍ୟତରେ କ’ଣ ହେବ କେଜାଣି ? ହେ ଶ୍ୟାମଘନ, ବହୁତ ଖାଦ୍ୟ ଲୋଭରେ ବଡ଼ ବଡ଼ ହାତୀମାନେ ବଡ଼ ଶୀତରେ ପଡ଼ିଥା’ନ୍ତି । ପ୍ରବଳ ତୃଷାରେ ଆତୁର ହୋଇ ମୃଗମାନେ ହିଁ ମୃଗତୃଷ୍ଣାରେ ପଡ଼ି ଜୀବନ ହାରନ୍ତି । ମହାପଣ୍ଡିତ ଗୁଣ ଅଧିକାରୀ ହୋଇବି ମାୟାରେ ଭ୍ରମିତ ହୋଇଥିଲେ ଓ ମହାଆଶାରେ ପଡ଼ି ସେମାନେ ମହାଦୁଃଖ ଭୋଗ କରନ୍ତି । ମହାମୂର୍ଖ, ମହାକୃପଣ ବି ଜୀବନରେ ଅଶେଷ ଦୁଃଖ ଭୋଗ କରିଥା’ନ୍ତି ।

 

ଜନ୍ମକାଳରେ ଯେତେ ଦୁଷ୍ଟ ଗୁପ୍ତରେ ତାକୁ ମାରିବାକୁ ଆସିଲେ, ସେ ସେମାନଙ୍କୁ ବଧ କଲେ । ଏବେ ଆକ୍ରୂର ଜଗତ ଯନ୍ତ୍ରକାର ହୋଇ ଏଠାକୁ ଆସିଛନ୍ତି । ସେ ସୂତ୍ରଧର ହୋଇଛନ୍ତି । ହେ ଘନଶ୍ୟାମ, ସୂତ୍ରଧର ବୋଲରେ ପରଦା ପଛରୁ ନାଟୁଆ ଯେମିତି ବାହାରେ, ସେମିତି ଇଏ ତୁମକୁ କଲେ ।

 

ରାଜାମାନେ ହାସରେ ମାତଙ୍ଗ ପରଶରେ

ସର୍ପ ଆଘ୍ରାଣରେ ନାଶନ୍ତି

ରବି ଅଗ୍ନି ବିଷରୁ ତୃଷାରେ ମହାପୁରୁ ?

ମୁଖେ ଯା ସ୍ତୁତିରେ ଭାଷନ୍ତି ହେ

ଘନଶ୍ୟାମ !

ରଙ୍ଗ ସଭାକୁ ଯାହା ରୁଷି

ରଥରେ ଯାଉଅଛି ବସି

ରଙ୍ଗ-ରାଜୀବ କରେ ଘେନି ଅସିପତ୍ରରେ

ଆମ୍ଭର ଗଳେ ଦିଅ ଘଷି ହେ ।୨୭।

ଲାବଣ୍ୟ ନିଧି ହସି ରଥୁଁ ଓହ୍ଲାଇ ଆସି

ବୋଲନ୍ତି ଆଗୋ ଗୋପୀମାନେ

ଲକ୍ଷ୍ୟ ନାହିଁ ତୁମ୍ଭଙ୍କୁ ଯେତେରୂପେ ଆମ୍ଭଙ୍କୁ

ଭଜିଲ ଅତି ହିଁ ଯତନେ ଗୋ

ଗୋପୀମାନେ !

ଲୀଳରେ ଯେ ଯାହାକୁ କିଣେ

ଲାଭ ତାଠାରେ ଅନୁକ୍ଷଣେ

ଲକ୍ଷେ କୋଶରେ ଥିଲେ ସେହି ତାହାର ଭଲେ

କେବଳ ରାଜା ଆଜ୍ଞା ଏଣେ ଗୋ ।୨୮।

ବେଭାରେ ତ ତୁମ୍ଭର ଗୁଣେ ମନ ଆମ୍ଭର

ଭାବରେ ବନ୍ଧନ ହୋଇଛି

ବଡ଼ କରିଣ ଯେତେ ମନରେ ଘେନିଥିବ

ତେତେ ହେଁ ତୁମ୍ଭପାଶେ ଅଛି ଗୋ

ଗୋପୀମାନେ !

ବିଚାର କରି ଏହା ମନେ

ବିଦେଶ କରିଥିଲେ ଜନେ

ବଢ଼ାଇ ଯେ ଯାହାର କାର୍ଯ୍ୟ ପୁଣି ଦୋଷର

ପ୍ରବେଶ ହୋଅନ୍ତେ ସଦନେ ଗୋ ।୨୯।

ସଂସାରେ ଏହି ମତି ଦୁଃଖ ସୁଖ ସମ୍ପତ୍ତି

ଚିର ହୋଇ ନରହେ କେହି

ଶୁଭ ଅଶୁଭ ଯୋଗ ଲାଭ ହାନି ଅଯୋଗ

ଶରୀର ହେଲେ ସବୁ ବହି ଗୋ

ଗୋପୀମାନେ !

ସମସ୍ତ ହୋଇ ଜୀବ ଥିଲେ

ସବୁ ସରଇ ଜୀବ ଗଲେ

ସଂଶୟମନା ନୋହି ଆନନ୍ଦେ ଥିବ ରହି

ଅଧିକ କି ହେବ କହିଲେ ଗୋ ।୩୦।

ଶୁଣିଥିବ ସମସ୍ତେ ଯେତେ ରୂପେ ଶ୍ରୀହସ୍ତେ

ସହଜେ ଆଜ୍ଞା କରି ନୋହେ ଅବଜ୍ଞା

କଲେ ରହି ନପାରୁ କ୍ଷିତି ଗୋ

ଗୋପୀମାନେ !

ସେ ଯେଉଁ ଶ୍ରୀକର ସନ୍ତକ

ସାକ୍ଷାତ ହୁଅଇ ଅନ୍ତକ

ସମ୍ଭାବନା କଲେ ସେ ସକଳ ଦୁଃଖ ନାଶେ

ସୁଖ ହିଁ ଦିଅଇ ଅନେକ ଗୋ ।୩୧।

 

ଭାବାର୍ଥ- (୨୭-୩୧) ହେ ଘନଶ୍ୟାମ, ରାଜାମାନେ ହସରେ, ଚଣ୍ଡାଳ ସ୍ପର୍ଶରେ, ସର୍ପ ଦଂଶନରେ ଲୋକଙ୍କୁ ନାଶ କରିଥା’ନ୍ତି । ସୂର୍ଯ୍ୟ, ଅଗ୍ନି, ବିଷ ଯୋଗୁଁ ତୃଷାରେ ଯେଉଁମାନେ ମୁଖରେ ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତି, ସେମାନଙ୍କୁ କ’ଣ କହିବ ? କୃଷ୍ଣ ରୁଷି କରି ରଙ୍ଗସଭାକୁ ରଥରେ ବସି ଯାଉଛନ୍ତି । ହେ କୃଷ୍ଣ, ରଙ୍ଗପଦ୍ମ ହସ୍ତରେ ତରବାରି ଧରି ଆମ୍ଭର ଗଳାକୁ କାଟି ଦିଅନ୍ତୁ । ଏହା ଶୁଣି କୃଷ୍ଣ ହସ ହସ ମୁଖରେ ରଥରୁ ଓହ୍ଲାଇ ଆସି କହିଲେ- ହେ ଗୋପୀମାନେ, ଯେତେ ରୂପରେ ମୋତେ ତୁମ୍ଭେମାନେ ଅତି ଯତ୍ନର ସହିତ ଧ୍ୟାନ କରିଛି । ତୁମ୍ଭମାନଙ୍କ ପ୍ରତି ମୋର ନଜର ନାହିଁ । ହେ ଗୋପୀଗଣ, ଲୀଳା ଦ୍ଵାରା ଯିଏ ଯାହାକୁ ଜିଣେ, ତା’ଠାରେ ସେତିକି ଲାଭ ଅନୁକ୍ଷଣରେ ରହିଥାଏ । ଲକ୍ଷେ କୋଶରେ ଥିଲେ ମଧ୍ୟ ସିଏ ତାହାର ହୋଇଥାଏ । କେବଳ ରାଜା ଆଜ୍ଞା ଯୋଗୁଁ ମୁଁ ତୁମଠାରୁ ବିଦାହେଉଛି । ବେଭାରରେ ତୁମ୍ଭେମାନେ ମୋ ମନ ମଧ୍ୟରେ ରହିଛ । ତୁମ୍ଭମାନଙ୍କର ଭାବରେ ବାନ୍ଧି ହୋଇଯାଇଛି । ଯେତେ ବଡ଼ କରି ମୋତେ ମନରେ ଭାବିଥିବ, ସେତିକି ପରିମାଣରେ ମୁଁ ତୁମ୍ଭମାନଙ୍କ ପାଖରେ ରହିଥବି । ଏହାକୁ ବିଚାର କରି ଲୋକମାନେ ବିଦେଶ ଯାଇଥା’ନ୍ତି । କାର୍ଯ୍ୟ ସାରି ପୁଣି ଘରକୁ ଫେରି ଆସିଥା’ନ୍ତି ।

 

ହେ ଗୋପୀଗଣ, ସଂସାରରେ ସୁଖ, ଦୁଃଖ, ସମ୍ପତ୍ତି ଅଳିକ । କେହି ଚିର ହୋଇ ରହେ ନାହିଁ । ଶୁଭ-ଅଶୁଭ, ଯୋଗ-ଅଯୋଗ, ହାନି-ଲାଭ ଏ ସବୁକୁ ଦେହଥିଲେ ଭୋଗିବାକୁ ହେବ । ଜୀବ ଥିଲା ଯାକ ସବୁ ଥିବ । ଜୀବ ଗଲେ ତା’ ସଙ୍ଗରେ ସବୁ ଚାଲିଯିବ । ସଂଶୟମନା ନ ହୋଇ ଆନନ୍ଦରେ ରୁହ । ତୁମ୍ଭମାନଙ୍କୁ ଅଧିକ ବା କ’ଣ କହିବି ? ସମସ୍ତେ ଶୁଣିଥିବ, ରାଜାଙ୍କ ଆଜ୍ଞାକୁ ସହଜରେ ଅବଜ୍ଞା କରିହେବ ନାହିଁ । ଅବଜ୍ଞା କଲେ ସଂସାରରେ ରହି ପାରିବୁ ନାହିଁ । ତାଙ୍କ ଶ୍ରୀକରର ସନ୍ତକ ଆମ ପାଇଁ ଅନ୍ତକ ସଦୃଶ । ତାଙ୍କ ଆଜ୍ଞାକୁ ମାନିଲେ ସକଳ ଦୁଃଖ ନାଶଯିବ, ଅନେକ ସୁଖ ମିଳିବ ।

 

ସନ୍ତୋଷ ହୋଇ ଏବେ ବୋଲିବ ଯେବେ ତେବେ

ରାଜାଙ୍କୁ ଦର୍ଶନ କରିବୁ

ଶୁଭେ ଧନୁ ଉତ୍ସବ ଯାତ୍ରା ବଢ଼ାଇ କରି

ସବୁରି ସନ୍ତାପ କରିବୁ ଗୋ

ଗୋପୀମାନେ ।

ସ୍ନେହ ଆମ୍ଭଙ୍କୁ କରିଥିବ

ସ୍ଫଟିକ ପରାୟେ ନୋହିବ

ସେ ଯେମନ୍ତ ପାଖରେ ଥିଲେ ଛାଇକି ଧରେ

ଅନ୍ତର ହେଲେ ଆନ ଭାବ ଗୋ ।୩୨।

ହରଷ ଶୋକଭରେ ଏକ ଗୋପୀୟେ ଧୀରେ

ବୋଇଲା ଆହେ ବ୍ରଜରାୟେ

ହୃଦ ଭିତରେ ଆମ୍ଭେ ତୁମ୍ଭଙ୍କୁ ଘେନି ଅଛୁଁ

ଥଳରେ କମଳ ପରାୟେ ହେ

ଘନଶ୍ୟାମ !

ହରଷରେ ବଚନ କହି

ହୃଦୟରେ କପଟ ବହି

ହରିଲ ଆମ୍ଭଚିତ୍ତ ଧନ୍ୟ ଲୋଭେ ମୋହିତ

ତୁମ୍ଭରି ଚିତ୍ତେ ସବୁ ଏହି ହେ ।୩୩।

କ୍ଷମା ସାଗର କ୍ଷୋଭ ଛଡ଼ାଇ ଆଶା ଲୋଭ

ଦେଖାଇ ଗୋପୀଙ୍କି ମୋହିଲେ

କ୍ଷଣକେ ରଥେ ବସି ଅକ୍ରୂର ମନ ତୋଷି

ମଥୁରାକୁ ବିଜୟ କଲେ ସେ

ଘନଶ୍ୟାମ !

କ୍ଷମାକର ବଦନ ଦେଖି

କ୍ଷଣକେ ହେଲେ ଜନେ ସୁଖୀ

ଛଛନ୍ଦେ ଦୀନକୃଷ୍ଣ ବୋଲେ ତାଙ୍କ ନୟନ

ନୟନେ କରି ସିନା ଲେଖି ହେ ।୩୪।

 

ଭାବାର୍ଥ- (୩୨ -୩୪) ହେ ଗୋପୀମାନେ, ଏବେ ତୁମ୍ଭେମାନେ ଯଦି ସନ୍ତୋଷ ମନରେ କହିବ, ତେବେ ରାଜାଙ୍କୁ ଦର୍ଶନ କରିବୁ । ଧନୁଉତ୍ସବ ଯାତ୍ରାରୁ ଫେରି ସମସ୍ତଙ୍କ ସନ୍ତାପ ଦୂର କରିବୁ । ଆମ୍ଭପ୍ରତି ସ୍ନେହ ରଖିଥିବ । ସ୍ପଟିକ ପ୍ରାୟ ହେବ ନାହିଁ । ଯେ ଯେମିତି ପାଖରେ ଥିଲେ, ଛାଇକି ଧରିଥାଏ, ଅନ୍ତର ହେଲେ ଦୂରେଇ ଯାଇଥାଏ, ସେମିତି ଭାବ ମନରେ ରଖୁବ ନାହିଁ-। କୃଷ୍ଣଙ୍କ ଠାରୁ ଏହା ଶୁଣି ସୁଖ-ଦୁଃଖ ଭରା ହୃଦୟରେ ଏକ ଗୋପୀ ଧୀର ଭାବରେ କହିଲା– ହେ ବ୍ରଜବିହାରୀ, ତୁମ୍ଭଙ୍କୁ ଆମ୍ଭେମାନେ ହୃଦ ମଧ୍ୟରେ ପଦ୍ମପ୍ରାୟ ଧାରଣ କରିଛୁ । ହୃଦୟ ମଧ୍ୟରେ କପଟ ରଖି ମୁଖରେ ଆନନ୍ଦରେ କଥା କହିଲ ଓ ଆମ୍ଭମାନଙ୍କୁ ହରଣ କଲ । ତୁମ ମନଭିତରେ ଏହା ସବୁ ଥିଲା । ସୁନ୍ଦର କଥା କହି ଆମକୁ ମୋହିତ କରିଦେଲ ।

 

କ୍ଷମାସାଗର କୃଷ୍ଣ ଗୋପୀମାନଙ୍କ ମନରୁ କ୍ଷୋଭ ଛଡ଼ାଇ ସେମାନଙ୍କ ମନରେ ଆଶା, ଲୋଭ ଦେଖାଇ ମୋହିତ କଲେ । କ୍ଷଣକ ମଧ୍ୟରେ ରଥରେ ବସି ଅକରଙ୍କ ମନକୁ ତୋଷ କଲେ ଓ ମଥୁରା ଅଭିମୁଖେ ଯାତ୍ରା କଲେ । କୃଷ୍ଣଙ୍କର ମୁଖ ଦେଖି ଗୋପପୁରବାସୀ ଖୁସି ହେଲେ । କବି ଦୀନକୃଷ୍ଣ ଆନନ୍ଦ ମନରେ ଏହାକୁ ଲେଖିଲେ ।

Image